ଜେନ୍-ଜିଙ୍କୁ ବୁଝିବା କାହିଁକି ଆବଶ୍ୟକ?

Chhatra Sandesh:ଜେନ୍-ଜିଙ୍କୁ-ବୁଝିବା-କାହିଁକି-ଆବଶ୍ୟକ

 ବାଂଲାଦେଶର ଛାତ୍ର ଆନ୍ଦୋଳନ, ନେପାଳର ଯୁବ ଆନ୍ଦୋଳନ ଓ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ପ୍ରତିବାଦ ପରେ ଆଜି ଭାରତରେ ପ୍ରାୟ ପ୍ରତ୍ୟେକ ଲୋକ ଏହି ଆନ୍ଦୋଳନଗୁଡ଼ିକ ପଛରେ ଥିବା ନୂଆ ଯୁବ ପିଢ଼ି ବିଷୟରେ ଜାଣିବାକୁ ଚାହୁଁଛନ୍ତି । ସେମାନେ କ’ଣ ଚାହୁଁଛନ୍ତି, କେଉଁ କଥାରେ ରାଗୁଛନ୍ତି, କେଉଁ ମାନସିକତାରୁ ରାସ୍ତାକୁ ଆସୁଛନ୍ତି ଏସବୁ ବୁଝିବାର ଆଗ୍ରହ ଏବେ ସବୁଆଡ଼େ। ରାଜନୀତି, ବିଜ୍ଞାପନ, ବଜାର ଓ ଘର ସମସ୍ତେ ଏହି ପିଢ଼ିର ମନର କଥା ଜାଣିବାକୁ ଚେଷ୍ଟା କରୁଛନ୍ତି।

ଏମାନଙ୍କୁ କୁହାଯାଉଛି ଜେନ୍ ଜି, ଅର୍ଥାତ୍ ‘ଜେନେରେସନ୍ ଜେଡ୍’। ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁସାରେ, ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମ ହୋଇଥିବା ଶିଶୁମାନଙ୍କୁ ‘ଜେନେରେସନ୍ ଜେଡ୍’ ବା ‘ଜେନ୍ ଜି’ ବୋଲି କୁହାଯାଏ । ଏହି ହିସାବରେ ୨୦୨୭ରେ ସେମାନଙ୍କ ବୟସ ୧୫ରୁ ୩୦ ବର୍ଷ । ଏହି ବୟସସୀମା କୌଣସି ବୈଜ୍ଞାନିକ ଦୃଷ୍ଟିକୋଣରୁ ନିର୍ଣ୍ଣୟ ହୋଇ ନାହିଁ, ଏହା ମାନବ ପିଢ଼ି ବିଭାଜନର ଏକ ପରିମାପକ ମାତ୍ର। ଏହି ବିଭାଜନ ଦ୍ୱାରା ଆମେ ବୁଝିବାକୁ ଚେଷ୍ଟା କରୁ ଯେ, ଗୋଟିଏ ନିର୍ଦ୍ଦିଷ୍ଟ ସମୟର ପ୍ରଯୁକ୍ତି, ଅର୍ଥନୀତି ଓ ରାଜନୀତି ଲୋକଙ୍କ ଚିନ୍ତାକୁ କିପରି ଗଢ଼ିଥାଏ।
ବୋଷ୍ଟନ କନସଲ୍ଟିଂ ଗ୍ରୁପ୍ ଓ ସ୍ନାପର ୨୦୨୪ ଅଧ୍ୟୟନ ଅନୁସାରେ ଭାରତରେ ଜେନ୍ ଜିଙ୍କ ସଂଖ୍ୟା ପ୍ରାୟ ୩୭ କୋଟି ୭୦ ଲକ୍ଷ । ଏହା ଜନଗଣନାର ତଥ୍ୟ ନୁହେଁ, ଏକ ବେସରକାରୀ ବଜାର ଅଧ୍ୟୟନ । ତେଣୁ ସଂଖ୍ୟାଟିକୁ ମୋଟାମୋଟି ଧାରଣା ଭାବେ ଦେଖିବା ଉଚିତ। ଏହା ସହିତ ଜାତିସଂଘ ପାଣ୍ଠିର ତଥ୍ୟ ଅନୁସାରେ ଭାରତରେ ୧୦ରୁ ୨୪ ବର୍ଷ ବୟସର ପିଲାଙ୍କ ସଂଖ୍ୟା ୩୮ କୋଟି ୨୦ ଲକ୍ଷରୁ ଅଧିକ । ଦୁଇଟି ସଂସ୍ଥାର ତଥ୍ୟ ପୂରା ମେଳ ଖାଉ ନାହିଁ, କିନ୍ତୁ ଦୃଷ୍ଟିକୋଣ ଗୋଟିଏ; ଜେନ୍ ଜି ଭାରତର ପ୍ରମୁଖ ନାଗରିକ ଶକ୍ତି ।
ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହୁଁଛି। ଜେନ୍ ଜି ଏକ ସମାନ ବୟସର ଗୋଷ୍ଠୀ ହୋଇଥିଲେ ମଧ୍ୟ ସମସ୍ତେ ସମାନ ପରିବେଶରେ ବଢ଼ି ନାହାନ୍ତି। ଭୁବନେଶ୍ୱରର ଏକ ସମ୍ପନ୍ନ ପରିବାରର ପୁଅ, ମାଲକାନଗିରିର ଆଦିବାସୀ ଛାତ୍ରାବାସର ଜଣେ ଝିଅ, ରାଉରକେଲାରେ କୋଚିଂ କରୁଥିବା ଛାତ୍ର, ବରଗଡ଼ର ଚାଷୀ ଘରର ପୁଅ ଏବଂ ସମ୍ବଲପୁରରେ ଜନପ୍ରିୟଗ୍ରାମ ମାଧ୍ୟମରେ ସମ୍ବଲପୁରୀ ଶାଢ଼ି ବିକ୍ରୁଥିବା ଜଣେ ଝିଅ ବୟସ ଦୃଷ୍ଟିରୁ ସମସ୍ତେ ଏକା ପିଢ଼ିର, କିନ୍ତୁ ସେମାନଙ୍କ ଆୟ ଏକା ନୁହେଁ, ଭାଷା ଏକା ନୁହେଁ, ସୁଯୋଗ ଏକା ନୁହେଁ। ତେଣୁ ମହାନଗରର ଇଂରାଜୀଭାଷୀ ପିଲାଙ୍କ ଜୀବନଶୈଳୀକୁ ସାରା ଭାରତର ଜେନ୍ ଜିଙ୍କ ପରିଚୟ ବୋଲି ଧରିନେବା ଭୁଲ୍ ହେବ। ତଥାପି ଗୋଟିଏ ଅନୁଭବ ସେମାନଙ୍କୁ ପୂର୍ବ ପିଢ଼ିଠାରୁ ଅଲଗା କରେ ଓ ଏହି ପିଢ଼ିକୁ ପରସ୍ପର ସହିତ ବାନ୍ଧି ରଖେ ତାହା ହେଉଛି ପ୍ରଯୁକ୍ତି ସହିତ ତାଙ୍କର ଗଭୀର ସମ୍ପର୍କ ।
ମିଲେନିଆଲ୍ ଓ ତା’ ପୂର୍ବର ଲୋକମାନେ ଇଣ୍ଟରନେଟ୍, ସ୍ମାର୍ଟଫୋନ୍ ଓ ସୋସିଆଲ୍ ମିଡିଆକୁ ଜୀବନର ଉତ୍ତରାର୍ଦ୍ଧରେ ଗ୍ରହଣ କରିଥିଲେ। କିନ୍ତୁ ଜେନ୍ ଜି ଜୀବନର ଆରମ୍ଭରୁ ଏହି ସମସ୍ତ ବିଷୟ ସହିତ ଜଡ଼ିତ। ସେମାନଙ୍କ ପାଇଁ ଫୋନ୍ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ। ଏହା ତାଙ୍କ ପାଇଁ ଶ୍ରେଣୀକକ୍ଷ, ପାଠାଗାର, ବ୍ୟାଙ୍କ, ବଜାର ସହିତ ନିଜ ମତ ପ୍ରକାଶର ମଞ୍ଚ ଓ ତାଙ୍କ ଜୀବନର ପ୍ରମୁଖ ଅଂଶ।
ଆଇଏଏମ୍‌ଏଆଇ ଓ କାନ୍ତାରର ୨୦୨୪ ଆକଳନ ଅନୁସାରେ ଭାରତରେ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୮୬ କୋଟି ୮୦ ଲକ୍ଷ । ଏଥିମଧ୍ୟରୁ ୫୭ ପ୍ରତିଶତ ଗାଁରୋ ଅର୍ଥାତ୍, ଏହା କେବଳ ସହରର କଥା ନୁହେଁ । ପାଟଣାଗଡ଼ର ଗାଁରେ ମଧ୍ୟ ପିଲାଟି ସେହି ଭିଡିଓ ଦେଖୁଛି, ଯାହା ଦିଲ୍ଲୀର ପିଲା ଦେଖୁଛି । ଫରକ ଏତିକି ଯେ, ତା’ ଘରେ ପୋନଟି ହୁଏତ ତିନି ଜଣଙ୍କ ମଧ୍ୟରେ ବାଣ୍ଟି ହେଉଛି।
ଏହି ପ୍ରଯୁକ୍ତି ତାଙ୍କ ଜୀବନକୁ ସୁବିଧାଜନକ କରିବା ସହିତ ଜେନ୍ ଜିଙ୍କୁ ଏକ ସ୍ୱର ମଧ୍ୟ ଦେଇଛି । ପୂର୍ବରୁ ନିଜ କଥା ଦଶ ଜଣଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଖବରକାଗଜ, ରେଡିଓ କିମ୍ବା କୌଣସି ସଂଗଠନର ମଞ୍ଚ ଦରକାର ପଡ଼ୁଥିଲା। ଏବେ ସୋସିଆଲ୍ ମିଡିଆରେ ଗୋଟିଏ ପୋଷ୍ଟ ଯଥେଷ୍ଟ। ଏଥିରେ ପିଢ଼ିଟି ପୂର୍ବଠାରୁ ଅଧିକ ବୁଦ୍ଧିମାନ ହୋଇଯାଇନାହିଁ, କିନ୍ତୁ ତା’ର ମତ, ପ୍ରତିକ୍ରିୟା, ରାଗ ଓ ଅସନ୍ତୋଷ ଏବେ ଅଧିକ ଶୀଘ୍ର ଦେଖାଯାଉଛି, ଆଗେ ସେସବୁ ଘର ଭିତରେ ରହିଯାଉଥିଲା।
ଆଜିର ଯୁବମାନେ କେବଳ ତଥ୍ୟର ଗ୍ରାହକ ନୁହନ୍ତି, ସେମାନେ ନାରେଟିଭ୍ ତିଆରି କରୁଥିବା ପିଢ଼ି। ଏହାର ପ୍ରମାଣ ଆମେ କେବଳ ଭାରତରେ ନୁହେଁ, ପଡ଼ୋଶୀ ଦେଶରେ ମଧ୍ୟ ଦେଖୁଛୁ । ବାଂଲାଦେଶର ଛାତ୍ର ଆନ୍ଦୋଳନ, ନେପାଳର ଯୁବ ଆନ୍ଦୋଳନ ଓ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ପ୍ରତିବାଦ ଏହା ଜେନ୍ ଜିର ନାରେଟିଭ୍ ତିଆରି କରିବାର କ୍ଷମତାର ପ୍ରତିଫଳନ।
ଜେନ୍ ଜି ପିଢ଼ିର ବଡ଼ ସଦସ୍ୟମାନେ ଏବେ ପାଠପଢ଼ା ସାରି ରୋଜଗାର ମାଧ୍ୟମ ଖୋଜୁଛନ୍ତି। କେହି ଚାକିରି, କେହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି, କେହି ଷ୍ଟାର୍ଟଅପ୍, କେହି ଫ୍ରିଲାନ୍ସିଂ କରୁଛନ୍ତି। ଛୋଟମାନଙ୍କର ନିଜର ଆୟ ନାହିଁ ଅନେକେ ଏବେ ବି ସ୍କୁଲରେ। ତଥାପି ଘରର କିଣାକିଣିରେ ତାଙ୍କ କଥା ରହେ। ଘରେ କେଉଁ ଫୋନ୍ କିଣା ହେବ, କେଉଁ ଅନ୍‌ଲାଇନ୍ କୋର୍ସ ନେବା, ଛୁଟିରେ କେଉଁଠି ଯିବା, କେଉଁ ତ୍ରାସୁ ଭଲ ବାପା ଅପେ ପୁଅକୁ ପଚାରନ୍ତି। ପୂର୍ବରୁ ଏହା ଉଲଟା ଥିଲା। ଏହି ଦୃଷ୍ଟିରୁ ଅଧ୍ୟୟନ କହେ, ଭାରତୀୟ ଜେନ୍ ଜି ପ୍ରାୟ ୮୫୦ ବିଲିୟନ୍ ଡଲାରର ଖର୍ଚ୍ଚକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପ୍ରଭାବିତ କରନ୍ତି, ଯାହା ଦେଶର ମୋଟ ଉପଭୋକ୍ତା ବ୍ୟୟର ପ୍ରାୟ ୪୨ ପ୍ରତିଶତ। ସଂଖ୍ୟାଟି ଯାହା ହେଉ, କଥାଟି ସିଧା ଯେ, ଜେନ୍ ଜିକୁ ନ ବୁଝି ଆଜି କେହି ଖୁଚୁରା ବଜାର, ଶିକ୍ଷା, ବ୍ୟାଙ୍କିଙ୍ଗ୍, ପର୍ଯ୍ୟଟନ କି ମନୋରଞ୍ଜନ ବ୍ୟବସାୟ ଚଳାଇ ପାରିବ ନାହିଁ।
ରାଜନୀତିରେ ମଧ୍ୟ ସେହି କଥା। ୨୦୨୪ର ମତଦାତା ତାଲିକାରେ ୧୮ରୁ ୨୯ ବର୍ଷ ବୟସର ପ୍ରାୟ ୧୯ କୋଟି ୭୦ ଲକ୍ଷ ଯୁବ ମତଦାତା ଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ୧୮ରୁ ୧୯ ବର୍ଷର ପ୍ରାୟ ୧ କୋଟି ୮୪ ଲକ୍ଷ ପିଲା ପ୍ରଥମ ଥର ପାଇଁ ମତଦାତା ଭାବେ ଭୋଟ ଦେଇଥିଲେ। ଏଡେ ବଡ଼ ଏକ ବର୍ଗ ଯାହା ଚାହିଁବ, ତାହା ରାଜନୀତିରେ ପ୍ରତିଫଳିତ ହେବ। ଆଜି ନହେଲେ କାଲି ହେବ।
ଜେନ୍ ଜିଙ୍କ ରାଜନୀତି କେବଳ ଭୋଟ୍, ରାଲି ଓ ପୋଷ୍ଟରରେ ସୀମିତ ନୁହେଁ। ଅନ୍‌ଲାଇନ୍ ଅଭିଯାନ, ତଥ୍ୟଭିତ୍ତିକ ପ୍ରଶ୍ନ, ତର୍କ ଓ ମିମ୍ ଏସବୁ ଏବେ ରାଜନୀତିର ନୂଆ ରାସ୍ତା। ଗୋଟିଏ ରିଲ୍, ଯାହା ଦଶ ସେକେଣ୍ଡରେ କହିଦିଏ, ତାହା ଗୋଟିଏ ଲମ୍ବା ଭାଷଣ କହିପାରେ ନାହିଁ। ବର୍ତ୍ତମାନର ଯୁବ ଆନ୍ଦୋଳନ ଏହାର ଉଦାହରଣ। ଏହା ଆରମ୍ଭ ହୋଇଥିଲା ମିମ୍ ଓ ରିଲ୍ ଭିଡିଓରୁ, ପହଞ୍ଚିଥିଲା ରାସ୍ତା ପର୍ଯ୍ୟନ୍ତ। ଏହି ପିଢ଼ି ପାଇଁ ସୋସିଆଲ୍ ମିଡିଆ କେବଳ ମନୋରଞ୍ଜନ ନୁହେଁ, ଗଣତନ୍ତ୍ରର ଏକ ନୂଆ ମଞ୍ଚ। ତେବେ ଏହି ପିଢ଼ିକୁ ଅଯଥା ମହିମାମଣ୍ଡିତ କରିବା ମଧ୍ୟ ଠିକ୍ ନୁହେଁ।
ସେହିପରି ସେମାନଙ୍କୁ ‘ଅଧୈର୍ଯ୍ୟ’, ‘ମୋବାଇଲ୍ ଆସକ୍ତ’ କି ‘ପରିଶ୍ରମବିମୁଖ’ ବୋଲି କହିବା ମଧ୍ୟ ଅନ୍ୟାୟ। ସତ କଥା ହେଉଛି, ଦୁଇଟିଯାକ ଏକାଠି ରହେ। ପୃଥିବୀର ସବୁ ଜ୍ଞାନ ସେମାନଙ୍କ ପକେଟରେ ସେହି ପକେଟରେ ମିଛ ମଧ୍ୟ ଅଛି। ନିଜ କଥା ଲକ୍ଷେ ଲୋକଙ୍କ ନିକଟରେ ପହଞ୍ଚାଇବାର ଶକ୍ତି ଅଛି, କିନ୍ତୁ ବିନା ଯାଞ୍ଚରେ ଭୁଲ୍ କଥା ପ୍ରସାର କରିବାର ବିପଦ ମଧ୍ୟ ଅଛି। ସେମାନେ ଦେଶର ସବୁଠାରୁ ବଡ଼ କର୍ମକ୍ଷମ ଜନସଂଖ୍ୟା। କିନ୍ତୁ ଭଲ ଶିକ୍ଷା ଓ କାମ ନ ମିଳିଲେ ସେହି ଶକ୍ତି ନିରାଶାରେ ପରିଣତ ହେବ। ତେଣୁ ପ୍ରଶ୍ନଟି ଜେନ୍ ଜି ଭଲ କି ଖରାପ, ତାହା ନୁହେଁ। ପ୍ରଶ୍ନ ହେଉଛି, ଆମେ ସେମାନଙ୍କୁ କେଉଁ ଦୃଷ୍ଟିରେ ଦେଖୁଛୁ କେବଳ ଗ୍ରାହକ ଓ ମତଦାତା ଭାବେ, ନା ଦେଶ ଗଢ଼ିବାର ସହଭାଗୀ ଭାବେ?
ସେମାନଙ୍କ ଉପରେ ଆଲୋଚନା ଏଥିପାଇଁ ନୁହେଁ ଯେ, ସେମାନେ ଏକ ନୂଆ ବୟସଗୋଷ୍ଠୀ। ଆଲୋଚନା ଏଥିପାଇଁ ଯେ, ଆଗାମୀ ତିଶ ବର୍ଷ ଧରି ଭାରତର କର୍ମଶକ୍ତି, ବଜାର ଓ ରାଜନୀତି ତିନୋଟିଯାକ ମୁଖ୍ୟତଃ ଏହି ପିଢ଼ି ଦ୍ୱାରା ପ୍ରଭାବିତ ହେବ। ସେମାନଙ୍କୁ ବୁଝିବା ଅର୍ଥ ଆଗାମୀ ଭାରତକୁ ବୁଝିବା।
ସେମାନେ କେବଳ ଚାକିରି ଚାହୁଁ ନାହାନ୍ତି; ସେମାନେ ଏକ ନ୍ୟାୟସଙ୍ଗତ ବ୍ୟବସ୍ଥା ଚାହୁଁଛନ୍ତି। ସେମାନେ କେବଳ ସୁଯୋଗ ନୁହେଁ, ସମାନ ସୁଯୋଗ ଚାହୁଁଛନ୍ତି। ସେମାନେ କେବଳ ବିକାଶର କଥା ଶୁଣିବାକୁ ନୁହେଁ, ସେହି ବିକାଶର ଅଂଶୀଦାର ହେବାକୁ ଚାହୁଁଛନ୍ତି। ସରଳ ଭାଷାରେ, ସେମାନେ ‘ଭଲ ଶାସନ ବ୍ୟବସ୍ଥା’ ଚାହୁଁଛନ୍ତି, ଅର୍ଥାତ୍ ପାରଦର୍ଶିତା, ଦାୟିତ୍ୱ ଓ ସୁଯୋଗର ସମନ୍ୱୟ।
ଯଦି ଆମେ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା, ଦକ୍ଷତା ଓ ସଠିକ୍ ମାର୍ଗଦର୍ଶନ ଦେଇପାରିବା, ସେମାନେ ଭାରତର ସବୁଠାରୁ ବଡ଼ ଶକ୍ତି ହେବେ। ଯଦି ଆମେ ସେମାନଙ୍କୁ କେବଳ ଉପଭୋକ୍ତା ଓ ଭୋଟର ଭାବେ ବ୍ୟବହାର କରିବାକୁ ଚେଷ୍ଟା କରିବା, ସେମାନେ ଅସନ୍ତୋଷରେ ପରିଣତ ହେବେ। ସମାଜ, ରାଜନୀତି ଓ ପ୍ରଶାସନ ଏହି ତିନୋଟିର ଦାୟିତ୍ୱ ହେଉଛି ଏହି ପିଢ଼ିକୁ ସୁଯୋଗ ସହିତ ଉଚିତ ମାର୍ଗଦର୍ଶନ ଦେବା। ଏହି ପିଢ଼ି ପ୍ରଶ୍ନ କରୁଛି; ଏହା ତାଙ୍କର ଶକ୍ତି ଓ ପ୍ରଭାବ। ସେହି ପ୍ରଶ୍ନର ଉତ୍ତର ଦେବା ଆମର ଦାୟିତ୍ୱ। ଅନ୍ତେ, ଜେନ୍ ଜିକୁ ବୁଝିବା ଅର୍ଥ କେବଳ ଏହି ପିଢ଼ିକୁ ବୁଝିବା ନୁହେଁ; ଏହା ଭାରତର ଭବିଷ୍ୟତକୁ ବୁଝିବା।

Author Image

ରିତେଶ ତ୍ରିପାଠୀ

0 Comments

Add Comment

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.